ଅତି ଭୀଷଣ ରୂପ ଧାରଣ କରୁଛି ସାମୁଦ୍ରିକ ଝଡ଼ ତିତଲି, ପବନର ବେଗ ଘଣ୍ଟା ପ୍ରତି ୧୬୫ କିମି ଛୁଇଁବା ଆଶଙ୍କା

0 64

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକ ଝଡ଼ ‘ତିତଲି’  ବେଳକୁବେଳ ଅଧିକ ଭୀଷଣ ହେଉଛି । ପୂର୍ବରୁ ଏହାକୁ ଭୀଷଣ ସାମୁଦ୍ରିକ ଝଡ଼ କୁହାଯ଼ାଉଥିବାବେଳେ ଆଜି ତାହାକୁ ଅତି ଭୀଷଣ ସାମୁଦ୍ରିକ ଝଡ଼କୁ ବଦଳାଇଛି ଭାରତୀୟ ପାଣିପାଗ ବିଭାଗ । ଏବେ ଏହା ଗୋପାଳପୁରଠାରୁ ଦକ୍ଷିଣପୂର୍ବ ଦିଗରେ ପ୍ରାୟ  ୩୦୦ କିଲୋମିଟର ଦୂରରେ ରହିଛି  ଓ ଏହା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି  ।

ତିତଲିର ଗତି ଧୀର ଥିବାରୁ ଏହା ଜଳଭାଗରେ ଅଧିକ ସମୟ ରହିବା ସହିତ ଅଧିକ  ଶକ୍ତି ସଂଗ୍ରହ କରି ଭୟଙ୍କର ହୋଇ ଉଠୁଥିବା ଆଶଙ୍କା କରାଯାଉଛି। ଏହା ଯେତେବେଳେ ସ୍ଥଳଭାଗ ଛୁଇଁବ, ସେତେବେଳେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୪୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରି ଦେବା ସହିତ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ସତର୍କ କରି ଦେଇଛନ୍ତି।
ଏହାର ପ୍ରଭାବରେ ଉପକୂଳରେ ଆଜି ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟାରୁ ଦକ୍ଷିଣ ଉପକୂଳରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ଏହା କ୍ରମଶଃ ବୃଦ୍ଧି ପାଇ ଆସନ୍ତାକାଲି ସକାଳ ସୁଦ୍ଧା ପବନର ବେଗ ୧୨୦ରୁ ୧୩୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।। ସ୍ଥଳବିଶେଷରେ ୧୪୫ରୁ ୧୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୧୨ ତାରିଖ ଯାଏ ସମୁଦ୍ର ଭୟଙ୍କର ଭାବେ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି।

Leave A Reply

Your email address will not be published.