‘ଶ୍ୱାସରୋଗ’-ଏହି ଘରୋଇ ଖାଦ୍ୟ ଓ ଆସନ ପ୍ରାଣାୟମ ଦ୍ୱାରା ଚିକିତ୍ସା ସମ୍ଭବ

0 229

ସାଧାରଣତଃ ଦୁଇଟି ଜିନିଷର ପ୍ରଭାବରେ ଶ୍ୱାସରୋଗ ଦେଖାଯାଏ ଗୁଣସୂତ୍ର (ଜିନ୍‌) ଏବଂ ପରିବେଶ। ଏହି ରୋଗର ପ୍ରତିଷେଧକ ଟୀକା ନାହିଁ। ଜିନ୍‌ ଉପରେ ଆମର କର୍ତ୍ତୃତ୍ୱ ନାହିଁ। ପରିବେଶ ଉପରେ ନିୟନ୍ତ୍ରଣ ସୀମିତ। ତେଣୁ ଶ୍ୱାସରୋଗକୁ ପ୍ରତିରୋଧ କରିବା ଏକ କଠିନ କାର୍ଯ୍ୟ। ଶ୍ୱାସ ରୋଗର ନିୟନ୍ତ୍ରଣ ପାଇଁ ଆମେ ପ୍ରଥମେ ଆମର ପରିବେଶ ସଜାଡ଼ିବା। ଜଙ୍ଗଲ, ସବୁଜିମା, ଗାଡ଼ିମଟର, କଳକାରଖାନା ଏବଂ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ। ପ୍ରଦୂଷଣ ପ୍ରତିହତ କରିବା ସହିତ ଶ୍ୱାସରୋଗର ଚିକିତ୍ସା ମଧ୍ୟ ଅପରିହାର୍ଯ୍ୟ।୍ରତିବର୍ଷ ମେ’ ମାସର ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଶ୍ୱାସରୋଗ ଦିବସଭାବେ ପାଳନ କରାଯାଇଥାଏ। ମେ ମାସ ‘ଶ୍ୱାସରୋଗ ସଚେତନତା ମାସ’ ଭାବେ ସମଗ୍ର ବିଶ୍ୱରେ ପାଳିତ ହେଉଛି। ଏହି ଦିବସ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଗ୍ଲୋବାଲ ଇନିସିଏଟିଭ୍‍ ଫର୍‍ ଆଜ୍‍ମା(GINA) ପରି ଅର୍ନ୍ତରାଷ୍ଟ୍ରୀୟ ସଂଗଠନ ନେତୃତ୍ୱରେ ସାରା ବିଶ୍ୱରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଥାଏ। ଗବେଷଣାରୁ ଜଣାଯାଏ ଶ୍ୱାସରୋଗ ପ୍ରତି ଦୁଇଦଶନ୍ଧିରେ ଦୁଇଗୁଣ ବୃଦ୍ଧି ପାଉଛି। ଶ୍ୱାସରୋଗରେ ଆକ୍ରାନ୍ତ ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି ା ତାଙ୍କ ଶୋଇବା, ଖାଇବା, ଖେଳକୁଦ ପ୍ରଭାବିତ ହେଉଛି। ତାଙ୍କର ସର୍ବାଙ୍ଗୀନ ଶାରୀରିକ ଏବଂ ମାନସିକ ବୃଦ୍ଧି ସଙ୍କୁଚିତ ହେଉଛି। ବୟସ୍କ ରୋଗୀଙ୍କର ଜୀବନଯାତ୍ରା ଅତିମାତ୍ରାରେ ପ୍ରଭାବିତ। ନିଜ କାମକୁ ସୁଚାରୁରୂପେ ତୁଲେଇ ପାରୁନାହାନ୍ତି, କର୍ମକ୍ଷେତ୍ରରେ ଅନୁପସ୍ଥିତ ରହୁଛନ୍ତି। ବୃଦ୍ଧଙ୍କ ଅବସ୍ଥା ଅତି ଦୟନୀୟ। ଏପଟେ ଶାରିରୀକ ଅବକ୍ଷୟ, ସେପଟେ ଶ୍ୱାସରୋଗର ଦାଉ। ତା’ସହିତ ବାର୍ଦ୍ଧକ୍ୟଜନିତ ମଧୁମେହ, ଉଚ୍ଚରକ୍ତଚାପ, ଯକ୍ଷ୍ମା ଇତ୍ୟାଦି। ବହୁ ପ୍ରତିଷେଧକ ଟୀକା ଉଦ୍ଭାବନ ହେଲାଣି। ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଆମେ ସଚେତନ ହେଲେଣି। ଏହାଦ୍ୱାରା ଗତ ଦୁଇତିନି ଦଶନ୍ଧିରେ ସଂକ୍ରାମକ ରୋଗ ଉପରେ ଆମେ ଅଳ୍ପେ ବହୁତ ନିୟନ୍ତ୍ରଣ ପାଇଛୁ। କିନ୍ତୁ ଏହା ସହିତ ଜୀବନପ୍ରଣାଳୀ ଜନିତ ଆଲର୍ଜି ଓ ଶ୍ୱାସରୋଗ ଆଶାତୀତ ଭାବେ ବୃଦ୍ଧି ପାଇଛି। ବର୍ତ୍ତମାନ ‘ଶ୍ୱାସରୋଗ’ ଏହି ଏକବିଂଶ ଶତାଦ୍ଦୀରେ ହଇଜାପରି ଏକ ମହାବ୍ୟାଧିର ରୂପ ନେଇଛି। ପ୍ରାୟ ଚାଳିଶରୁ ପଚାଶ କୋଟି ପୃଥିବୀବାସୀ ଏହାଦ୍ୱାରା ଆକ୍ରାନ୍ତ।

ଚିକିତ୍ସାବିଜ୍ଞାନ ଏହିକ୍ଷେତ୍ରରେ ବହୁ ପ୍ରଗତି କରିଛି। ଅତି ଉପକାରୀ ଔଷଧ ଏବଂ ଚିକିତ୍ସାପଦ୍ଧତି ବିକଶିତ ହୋଇଛି। ତାହାର ଲାଭ ଆମେ ସମସ୍ତେ ଉଠାଇବା ଉଚିତ। ଚଳିତବର୍ଷ ବିଶ୍ୱ ଶ୍ୱାସରୋଗ ଦିବସର ସ୍ଲୋଗାନ – “Never too early, Never too late” ଶ୍ୱାସରୋଗ ଯେପରି କୌଣସି ସ୍ଥାନ, କାଳ, ପାତ୍ରକୁ ବାଛିନଥାଏ, ଶ୍ୱାସରୋଗକୁ ପ୍ରତିରୋଧ କରିବାରେ ମଧ୍ୟ ଆମ୍ଭେମାନେ ସମୟ, ସ୍ଥାନ, ପାତ୍ରକୁ ଅପେକ୍ଷା କରିବା ନାହିଁ। ଶ୍ୱାସରୋଗ ଉପରେ ସଚେତନତା, ଏହାର କାରଣ, ପ୍ରକାରଭେଦ, ଲକ୍ଷଣ ଏବଂ ଚିକିତ୍ସା ଏକ ସୁସ୍ଥ ସମାଜ ନିମନ୍ତେ ଅତ୍ୟନ୍ତ ଜରୁରୀ। ରୋଗୀ ଯେକୌଣସି ବୟସର, ଯେକୌଣସି ଅବସ୍ଥାରେ ହୋଇଥିଲେ ମଧ୍ୟ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ, ରୋଗର ଲକ୍ଷଣ ଏବଂ ତାକୁ ପ୍ରତିହତ କରିବା ପାଇଁ ଉପାୟ/ଚିକିତ୍ସା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଆବଶ୍ୟକ।

ବ୍ୟକ୍ତିବିଶେଷରେ ନିମ୍ନଲିଖିତ ଲକ୍ଷଣମାନ ଦେଖାଗଲେ ଶ୍ୱାସରୋଗ ହୋଇଥିବାର ସମ୍ଭାବନା ଅଧିକ। ବାରମ୍ବାର ଥଣ୍ଡା, କାଶ ହେଉଥିଲେ, ଜ୍ୱର ବିନା ବହୁତଦିନ ଧରି କାଶ ହେବା, ଥରେ ଥଣ୍ଡା କାଶ ହେଲେ, ୧୦ଦିନରୁ ଅଧିକ ଦିନ ରହିବା, ଥଣ୍ଡା କାଶ ଯେପରି ଛାତିଭିତରୁ ଆସୁଥିବା ଅନୁଭବ ହେବା, ୨ବର୍ଷରୁ କମ୍‍ ପିଲା ନିଶ୍ୱାସ ପ୍ରଶ୍ୱାସ ବେଳେ ହ୍ୱିସ୍‌ଲ ପରି ଶବ୍ଦ ହେବା, ହସିବା, କାନ୍ଦିବା, କଥା କହିଲା ବେଳେ ଖାଇବା ସମୟରେ କାଶ ହେବା, ଦୌଡ଼ାଦୌଡ଼ି ଏବଂ ବ୍ୟାୟାମ କଲାବେଳେ କାଶ ଅଧିକ ହେବା, ଋତୁ, ସ୍ଥାନ ଏବଂ ଜଳବାୟୁ ପରିବର୍ତ୍ତନରେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଏବଂ କାଶ ବଢ଼ିଯିବା, ରାତିରେ ଏବଂ ସକାଳ ସମୟରେ ଉପରୋକ୍ତ ଲକ୍ଷଣସବୁ ଦେଖାଦେବ। ସମାଜକୁ ସୁସ୍ଥ କରିବାରେ ଏବଂ ସୁସ୍ଥ ରଖିବାରେ ଆମ୍ଭେ ସମସ୍ତେ ଉତ୍ତରଦାୟୀ। ସମାଜର ପ୍ରତ୍ୟେକ ଅଙ୍ଗ, ବ୍ୟକ୍ତି ଏବଂ ଅନୁଷ୍ଠାନ, ଏକବିଂଶ ଶତାବ୍ଦୀର ଏହି ଭୟଙ୍କର ସାମାଜିକ ବ୍ୟଧିର ପ୍ରତିକାର, ପ୍ରତିରୋଧ ଏବଂ ସଚେତନତା ନିମିତ୍ତ ସର୍ବଥା ଉଦ୍ୟମ କରିବା ଆବଶ୍ୟକ। ଶ୍ୱାସରୋଗୀମାନେ ସାମାଜିକ ରୂପେ ଅଭିଶପ୍ତ ନୁହନ୍ତି। ଜନ୍‍ ଏଫ୍‍. କେନେଡି, ଆବ୍ରାହମ ଲିଙ୍କନ, ମାର୍କ ସ୍ପିଟଜ୍‍, ମହମ୍ମଦ ଅଲ୍ଲୀଙ୍କଠାରୁ ଆରମ୍ଭ କରି ଅମିତାଭ୍‍ ବଚ୍ଚନଙ୍କ ପର୍ଯ୍ୟନ୍ତ ବିଖ୍ୟାତ ବ୍ୟକ୍ତିତ୍ୱ ଏହି ରୋଗଦ୍ୱାରା ପୀଡିତ। ଶ୍ୱାସରୋଗ କୌଣସି କାର୍ଯ୍ୟ, ବୃତ୍ତି ବା ସଫଳତାରେ ବାଧକ ନୁହେଁ। ସଠିକ୍‍ ସମୟରେ ଏହାର ଉପଚାର ଏବଂ ସାବଧାନତା ଦ୍ୱାରା ଆମେ ଏହାକୁ ପ୍ରତିହତ କରିପାରିବା।

ସୁରକ୍ଷା ଉପାୟ: ପ୍ରାଣାୟାମ ଓ ଯୋଗାସନ ଦ୍ୱାରା ଫୁସ୍‍ଫୁସ୍‍ ମଜବୁତ ହୋଇ ଶ୍ୱସନ ପ୍ରକ୍ରିୟା ସୁସ୍ଥ ରହିଥାଏ। ସକାଳ ବେଳା ସ୍ୱଚ୍ଛ ପବନରେ ଶ୍ୱାସଗ୍ରହଣ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ହାଲ୍‍କା ଉଷୁମ ପାଣିରେ ମହୁ ମିଶାଇ ପିଇଲେ କଫ ସମସ୍ୟା ଦୂର ହୁଏ ଏବଂ ଶ୍ୱାସରୋଗରୁ ମୁକ୍ତି ମିଳେ। ଶ୍ୱାସଗ୍ରହଣରେ କଷ୍ଟ ହେଉଥିଲେ ପାଣିରେ ଜୁଆଣି ପକାଇ ଫୁଟାନ୍ତୁ ଏବଂ ଏହାର ବାମ୍ଫ ନିଅନ୍ତୁ। ଅଦା ଓ ରସୁଣ ଶ୍ୱାସରୋଗର ଚିକିତ୍ସାରେ ଉପକାରୀ। ଆରମ୍ଭ ହେଉଥିବା ବେଳେ କ୍ଷୀରରେ ରସୁଣ କେଇପାଖୁଡା ଫୁଟାଇ ପିଇଲେ ଏବଂ ଅଦା ଚା’ରେ ରସୁଣ ପାଖୁଡା ମିଶାଇ ସେବନ କଲେ ଆରାମ ମିଳିଥାଏ।

ମନେରଖନ୍ତୁ: ଅବ୍ୟବସ୍ଥିତ ଜୀବନଶୈଳୀରେ ସୁଧାର, ଔଷଧ ସେବନ ତଥା ଶ୍ୱାସରୋଗର କାରକଗୁଡିକଠାରୁ ଦୂରେଇ ରହିଲେ ଏହି ରୋଗ ନିୟନ୍ତ୍ରଣ କରାଯାଇପାରେ। ପରିବେଶରେ ପରିବର୍ତ୍ତନ ତଥା ବୟସ ବଢିବା ସହିତ ଶରୀରରେ ଶ୍ୱାସରୋଗର ଲକ୍ଷଣ ଭିନ୍ନଭିନ୍ନ ହୋଇଥାଏ। ଲକ୍ଷଣ ଦେଖାଯାଉନଥିଲେ ବି ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇଛି ବୋଲି ଭାବିବା ଭୁଲ୍‍। ଶ୍ୱାସରୋଗରେ ବ୍ୟବହୃତ ସବୁ ଔଷଧ ଷ୍ଟେରଏଡ୍‍ କାରଣରୁ କ୍ଷତିକାରକ ହୋଇନଥାନ୍ତି। ଇନ୍‍ହେଲର ବ୍ୟବହାର କରୁଥିଲେ ମୁହଁ ଧୋଇବା ପରେ ଏହାର ଅବଶେଷ ସଫା ହୋଇଯାଏ। ଏଥିରେ ଆକ୍ରାନ୍ତ ବ୍ୟକ୍ତି, ବିଶେଷକରି ଫୁସ୍‍ଫୁସ୍‍ ଏବଂ ହୃଦ୍‍ଯନ୍ତ୍ର ସୁସ୍ଥ ରହିବା ଉପଯୋଗୀ ବ୍ୟାୟାମ କରିବା ନିହାତି ଜରୁରୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଉଦ୍‍ବେଗ ହ୍ରାସ କରେ। ପାଣିପାଗର ପ୍ରଭାବ ଏହି ରୋଗ ଉପରେ ପଡୁଥିଲେ ସୁଦ୍ଧା ଆଲର୍ଜିକାରକ ତତ୍ତ୍ୱ, ଧୂଳି ଆଦିରୁ ମୁକ୍ତ ରହି ଏହାକୁ ନିୟନ୍ତ୍ରଣ କରାଯାଇପାରେ। କୌଣସି ସପ୍ଲିମେଣ୍ଟ କିମ୍ବା ନ୍ୟାଚୁରାଲ ଥେରାପି ଶ୍ୱାସରୋଗକୁ ସମ୍ପୂର୍ଣ୍ଣ ଭଲ କରିପାରିବ ନାହିଁ।

ଉପକାରୀ ଖାଦ୍ୟ

ପିଆଜ: ଉଭୟ ଲାଲ୍‍ ଏବଂ ସବୁଜ ରଙ୍ଗର ପିଆଜ ଶ୍ୱାସରୋଗୀଙ୍କ ପାଇଁ ଉପକାରୀ। କଞ୍ଚା ପିଆଜରେ ସଲ୍‍ଫର ପରିମାଣ ଅଧିକ ଥିବାରୁ ଶ୍ୱାସ ସମ୍ବନ୍ଧୀୟ ଯେକୌଣସି ସମସ୍ୟା ପାଇଁ ଏହାକୁ ଖାଇବା ଭଲ।

           କମଳା: ଏଥିରେ ଭିଟାମିନ୍‍ ସି’ ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଫୁସ୍‍ଫୁସ୍‍କୁ ସୁରକ୍ଷିତ ରଖି ଶ୍ୱାସକ୍ରିୟା ସଂକ୍ରାନ୍ତ ସମସ୍ୟାର ସମାଧାନ କରିଥାଏ। ଖଟାଫଳ ଏବଂ ଜୁସ୍‍ ବ୍ୟତୀତ ବ୍ରୋକଲି, ଗଜାଶସ୍ୟ ଆଦି ଭିଟାମିନ ସି’ ଥିବା ଖାଦ୍ୟ ଶ୍ୱାସରୋଗୀଙ୍କ ପାଇଁ ଲାଭଦାୟକ।

ଅଳସୀ: ଏହି ମଞ୍ଜିରେ ଥିବା ଓମେଗା-୩ ଫ୍ୟାଟି ଏସିଡ ଫୁସ୍‍ଫୁସ୍‍ରେ ହେଉଥିବା ଜ୍ୱଳନ ଏବଂ କାଶରୁ କୋଷକୁ ସୁରକ୍ଷା ଦିଏ। ଫଳରେ ଶ୍ୱାସରୋଗ ଆକ୍ରାନ୍ତ କରିପାରେନାହିଁ।

ସେଓ: ଏଥିରେ ଥିବା ଫ୍ଲାଭୋନଏଡ୍‍ସ ଫୁସ୍‍ଫୁସ୍‍କୁ ଶକ୍ତ ରଖେ। ତେଣୁ ଦିନକୁ ଗୋଟିଏ ସେଓ ଖାଇଲେ ଶ୍ୱାସରୋଗରୁ ସୁରକ୍ଷା ମିଳିବ।

ରସୁଣ: ନିୟମିତ ରସୁଣ ଖାଇଲେ ଥଣ୍ଡାରୁ ମୁକ୍ତି ମିଳିବା ସହ ଏହାର ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ଯୋଗୁ ଫୁସ୍‍ଫୁସ୍‍ ପାଇଁ ଏହା ଏକ ମହୌଷଧି ଭାବେ କାମ କରିଥାଏ।

ଭୁଜଙ୍ଗାସନ

ଆଜ୍‍ମା ବା ଶ୍ୱାସରୋଗ ସହିତ ମଧୁମେହ, ଥାଇରଏଡ୍‍ ଆଦି ସମସ୍ୟାର ସମାଧାନ ପାଇଁ ଏହି ଆସନ ଖୁବ୍‍ ଭଲ ଉପାୟ। ଏହା ଅଗ୍ନ୍ୟାଶୟକୁ ସକ୍ରିୟ ରଖିବା ସହିତ ସଠିକ୍‍ ପରିମାଣରେ ଇନ୍‍ସୁଲିନ କ୍ଷରଣରେ ସହାୟକ ହୋଇ ମଧୁମେହରୁ ସୁରକ୍ଷା ଦିଏ। ମେଦ କମାଇବାରେ ମଧ୍ୟ ଭୁଜଙ୍ଗାସନ ବା କୋବ୍ରା ପୋଜ୍‍ ବେଶ୍‍ ଉପଯୋଗୀ। ଏହି ଆସନ କରିବା ଦ୍ୱାରା ଫୁସ୍‍ଫୁସ୍‍ ପ୍ରସାରିତ ହୋଇ ଏଥିରେ ଅମ୍ଳଜାନ ପ୍ରବେଶ କ୍ଷମତା ବଢିଯାଏ। ଏହା ପାଚନ ଶକ୍ତି ସୁଦୃଢ କରିବା ସହ ଥାଇରଏଡ୍‍ ଗ୍ରନ୍ଥିକୁ ସକ୍ରିୟ କରିବାରେ ସହାୟକ।

କିପରି କରିବେ:

 ଏକ କମ୍ବଳ କିମ୍ବା ନରମ ଲମ୍ବା ଆସନ ପକାଇ ପେଟ ମାଡି ଶୋଇଯାଆନ୍ତୁ।

 ହାତ ଦୁଇଟିକୁ କାନ୍ଧ ସିଧାରେ ଲମ୍ବାଇ ରଖିବେ।

 ଦୁଇଗୋଡ ମଧ୍ୟରେ ଦୂରତା କମ୍‍ କରିବା ସହ ସଳଖ କରି ରଖନ୍ତୁ।

 ଏବେ ଶ୍ୱାସ ଗ୍ରହଣ କରିବା ସହିତ ଶରୀରର ଉପରପଟକୁ ସାପର ଫଣା ପରି ନାଭି ପର୍ଯ୍ୟନ୍ତ ଉଠାଇବେ।

 ଅଣ୍ଟା ଉପରେ ଯେପରି ବେଶୀ ଚାପ ନପଡେ।

 ଶରୀର ଉଠାଇ ରଖିଥିବା ବେଳେ ଧୀରେଧୀରେ ଶ୍ୱାସ ଗ୍ରହଣ କରିବା ସହ ଛାଡନ୍ତୁ।

 ନିଜକୁ ଆରାମ ଲାଗିବା ପର୍ଯ୍ୟନ୍ତ କିମ୍ବା ୮ରୁ ୧୦ ସେକେଣ୍ଡ ଯାଏ ଏହି ଆସନରେ ରହିବା ଉଚିତ।

 ପୂର୍ବାବସ୍ଥାକୁ ଫେରିବାକୁ ଚାହିଁଲେ ଗଭୀର ଶ୍ୱାସ ଛାଡିବା ସହିତ ପ୍ରାରମ୍ଭିକ ସ୍ଥିତିକୁ ଆସନ୍ତୁ।

 ଏପରି କ୍ରିୟା ଦ୍ୱାରା ଗୋଟିଏ ଚକ୍ର ସମ୍ପୂର୍ଣ୍ଣ ହୋଇଥାଏ।

 ଆରମ୍ଭ ସମୟରେ ତିନିରୁ ଚାରୋଟି ଚକ୍ର ସମ୍ପୂର୍ଣ୍ଣ କରିବା ସହିତ ଧୀରେଧୀରେ ଯୋଗର ଧାରଣ ସମୟ ଏବଂ ଚକ୍ର ସଂଖ୍ୟା ବଢାଇବା ଉଚିତ।

ଧ୍ୟାନ ରଖନ୍ତୁ: ଯେଉଁମାନେ ପ୍ରବଳ ଅଣ୍ଟାବ୍ୟଥା, ହାର୍ଣ୍ଣିଆ ଏବଂ ଅଲ୍‍ସରରେ ଆକ୍ରାନ୍ତ, ଗର୍ଭବତୀ ମହିଳା ଏବଂ ସ୍ଲିପ୍‍ ଡିସ୍କ ସମସ୍ୟା ଭୋଗୁଛନ୍ତି- ସେମାନେ ଏହି ଆସନ ଅଭ୍ୟାସ କରିବା ଅନୁଚିତ। ଭୁଜଙ୍ଗାସନ କରିବା ପରେ ଆଗକୁ ନଇଁ କରିବାକୁ ହେଉଥିବା ନୌକାସନ, ପବନ ମୁକ୍ତାସନ, ହଳାସନ, ପର୍ବତାସନ ଆଦି କରିବା ମନା।

Leave A Reply

Your email address will not be published.