ଗଗନଯାନରେ ୨୦୨୨ରେ  ମହାକାଶକୁ ଯିବେ ତିନି ଭାରତୀୟ, ୨୦୧୯ ଜାନୁଆରୀ ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୨

 ଗଗନଯାନରେ ୨୦୨୨ରେ  ମହାକାଶକୁ ଯିବେ ତିନି ଭାରତୀୟ, ୨୦୧୯ ଜାନୁଆରୀ ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୨

0 83
  • ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଦୋହରାଇଲେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ
  • ୧୦୦୦୦ କୋଟି ଟଙ୍କାର ପ୍ରକଳ୍ପ ଭାରତୀୟ ମହାକାଶ ଗବେଷଣାର ମୋଡ଼ ବଦଳାଇବ
  • ମହାକାଶ ଅଭିଯାନ ସକାଶେ ସକଳ ପ୍ରକାର ଇଞ୍ଜିନିୟରିଂ ଉପକରଣ ପ୍ରସ୍ତୁତ
  • ୨୦୧୯ ଜାନୁଆରୀ ସୁଦ୍ଧା ଚନ୍ଦ୍ରଯାନ-୨ ଉତକ୍ଷେପଣ କାର୍ଯ୍ୟସୂଚୀ: ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ.-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ଯେଉଁ ଘୋଷଣା କରିଥିଲେ ତାହାକୁ ମଙ୍ଗଳବାରରେ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ (ସ୍ୱାଧୀନ ଦାୟିତ୍ୱ) ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ଜନ ଅଭିଯୋଗ ଓ ପେନସନ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଦୋହରାଇଛନ୍ତି । ଡକ୍ଟର ସିଂହ କହିଛନ୍ତି ଯେ୨୦୨୨ ମସିହା ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ନିଜସ୍ୱ ମହାକାଶ ଯାନରେ ପ୍ରଥମ ଭାରତୀୟଙ୍କୁ ମହାଶୂନ୍ୟକୁ ପଠାଇବ । ଏହା ଇସ୍ରୋର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ହେବ । ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସିଂହ ଏହି ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟକୁ ସାକାର କରିବା ସକାଶେ ଇସ୍ରୋର ସମସ୍ତ ସାମର୍ଥ୍ୟ ରହିଛି ଏବଂ ଇସ୍ରୋ ତାହା ସାକାର କରି ଦେଖାଇବ ବୋଲି  ଅଧ୍ୟକ୍ଷ ଡକ୍ଟର କେ ଶିବାନ୍‌ ଏହି ଅବସରରେ କହିଛନ୍ତି । ଡକ୍ଟର ଶିବାନ୍‌ କହିଲେ ଯେ ଏହା ଏକ ଗୁରୁ ଦାୟିତ୍ୱ ଏବଂ ଇସ୍ରୋ ପାଇଁ ଏହା ଏକ ଚାଲେଞ୍ଜ୍‌  । କିନ୍ତୁ ଆମେ ଏଥିରେ ସଫଳ ହେବୁ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ସାକାର ହେଲେ ମାନବଯୁକ୍ତ ମହାକାଶ ଯାନ ପ୍ରେରଣରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବ । ଏଯାବତ୍‌ ଆମେରିକା, ରୁଷିଆ ଏବଂ ଚୀନ୍‌ ଏହି ସଫଳତା ହାସଲ କରିପାରିଛନ୍ତି ।

 

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଗତ ସ୍ୱାଧୀନତା ଦିବସ ଉଦ୍‌ବୋଧନ ବେଳେ ‘ଗଗନାୟନ- ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ’ ସଂପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଭାରତର କୌଣସି ଜଣେ ସୁପୁତ୍ର ଅଥବା ସୁପୁତ୍ରୀ ଭାରତ ଭୂମିରୁ ଭାରତୀୟ ମହାକାଶ ଯାନରେ ୨୦୨୨ ମସିହା ସୁଦ୍ଧା ମହାକାଶ ଯାତ୍ରା କରିବେ । ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ଇସ୍ରୋର ମହାକାଶ ବିଜ୍ଞାନୀମାନେ ସାକାର କରିବାକୁ ଯାଉଛନ୍ତି ।  ଏଯାବତ୍‌ ଇସ୍ରୋର ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଏବଂ ଏହା ଦେଶର ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରଗତିକୁ ସବୁଠାରୁ ଅଧିକ ପ୍ରେରଣା ପ୍ରଦାନ କରିବ ବୋଲି ଡକ୍ଟର ଶିବାନ କହିଛନ୍ତି । ଏହା ବିଶେଷ କରି ଦେଶର ଯୁବବର୍ଗଙ୍କୁ ବଡ଼ ବଡ଼ ଚାଲେଞ୍ଜର ସାମ୍ନା କରିବାକୁ ପ୍ରୋତ୍ସାହିତ କରିବ ।

ଇସ୍ରୋ ଏବେ ସୁଦ୍ଧା ରି-ଏଣ୍ଟ୍ରି ଦକ୍ଷତାଯୁକ୍ତ କେତେକ ଜଟିଳ ପ୍ରଯୁକ୍ତିର ଅଧିକାରୀ ହୋଇସାରିଛି ଏବଂ ସେ ଦିଗରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶର ବିକାଶ ଘଟାଇସାରିଛି । ସେଥି ମଧ୍ୟରେ କ୍ରିଉ ଏକକେପ୍‌ ବ୍ୟବସ୍ଥା, କ୍ରିଉ ମଡ୍ୟୁଲ କନଫିଗୁରେସନ୍‌, ଥର୍ମାଲ ସୁରକ୍ଷା ବ୍ୟବସ୍ଥା, ଡ଼େସିଲେରେସନ୍‌ ଏବଂ ଫ୍ଲୋଟେସନ୍‌ ବ୍ୟବସ୍ଥା, ଜୀବନ ରକ୍ଷାକାରୀ ସବ୍‌-ସିଷ୍ଟମ୍‌ ଇତ୍ୟାଦି ରହିଛି ଯାହାକି ମହାକାଶ ଅଭିଯାନ ସକାଶେ ଏକାନ୍ତ ଜରୁରି । ସେଥି ମଧ୍ୟରୁ କେତେକ ପ୍ରଯୁକ୍ତି ସଫଳତାର ସହ ପରୀକ୍ଷା କରାଯାଇ ସାରିଲାଣି । । ସ୍ପେସ୍‌ କ୍ୟାପସୁଲ୍‌ ରିକଭରୀ ଏକ୍ସପେରିମେଣ୍ଟ (ଏସ୍‌ଆର୍‌ଇ-୨୦୦୭ କ୍ରିଉ ମଡ଼୍ୟୁଲ ବାୟୁମଣ୍ଡଳୀୟ ପୁନଃପ୍ରବେଶ ପରୀକ୍ଷଣ (କେୟାର ୨୦୧୪ ଏବଂ ପ୍ୟାଡ଼୍‌ ଆବୋର୍ଟ ଟେଷ୍ଟ (୨୦୧୮) ଭଳି ପରୀକ୍ଷଣ ସେଥି ମଧ୍ୟରେ ସାମିଲ । ଏଭଳି ଜଟିଳ ପ୍ରଯୁକ୍ତିର ପରୀକ୍ଷଣ ସଂପନ୍ନ କରାଯାଇସାରିଥିବା ଦୃଷ୍ଟିରୁ ଆଗାମୀ ଚାରି ବର୍ଷ ମଧ୍ୟରେ ଇସ୍ରୋ ତାର ମାନବଯୁକ୍ତ ମହାକାଶ ଅଭିଯାନକୁ ସଫଳତାର ସହ ସାକାର କରିପାରିବ ବୋଲି ମନ ଦୃଢ଼ କରିଛି ।

 

ଏହି ଅଭିଯାନ ସକାଶେ ଆବଶ୍ୟକ ଜିଏସଏଲଭି ଏମ୍‌କେ-୩ ଉତକ୍ଷେପଣ ଯାନ, ଯାହାର କି ଆବଶ୍ୟକ ମାତ୍ରାର ପେ ଲୋଡ଼ କ୍ଷମତା ରହିଛି, ତାହାକୁ ଗଗନାୟନ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ । ଭାରତୀୟ ମହାକାଶଚାରୀଙ୍କୁ ମହାଶୂନ୍ୟକୁ ପଠାଯିବା ପୂର୍ବରୁ ଦୁଇଟି ମାନବବିହୀନ ଗଗନାଯାନ ଅଭିଯାନ ସଂପନ୍ନ କରାଯିବ ।

 

ଗଗନାଯାନ ସକାଶେ ସବୁ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ ହେବ ଏବଂ ଆଗାମୀ୩୦ ମାସ ମଧ୍ୟରେ ପ୍ରଥମ ମାନବବିହୀନ ମହାକାଶ ଯାନ ମହାଶୂନ୍ୟକୁ ପ୍ରେରଣ କରାଯିବ । ଗଗନାୟନ କାର୍ଯ୍ୟକ୍ରମରେ ତିନିଜଣ ମହାକାଶଚାରୀଙ୍କୁ ମହାଶୂନ୍ୟକୁ ପଠାଯିବାର ଯୋଜନା ରହିଛି । ମହାକାଶ ଯାନଟି ଭୂପୃଷ୍ଠର ୩୦୦-୪୦୦ କିଲୋମିଟର ସ୍ୱଳ୍ପ ଉଚ୍ଚତାରେ ପୃଥିବୀକୁ ପ୍ରଦକ୍ଷିଣ କରିବ ଏବଂ ତାହା ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ମହାକାଶରେ ରହିବ । ଏହି କାର୍ଯ୍ୟକ୍ରମ ସକାଶେ ମୋଟ ୧୦,୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

 

ଏହି ଅଭିଯାନକୁ ଏକ ଜଟିଳ କାର୍ଯ୍ୟକ୍ରମ ବୋଲି ବର୍ଣ୍ଣନା କରି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଶିବାନ କହିଲେ ଯେ ଏହାକୁ ବାସ୍ତବ ପକ୍ଷେ ଏକ ଜାତୀୟ ପ୍ରୟାସ ବୋଲି ଅଭିହିତ କରାଯାଇପାରେ । ଏଥିରେ ଇସ୍ରୋ ବ୍ୟତୀତ ଦେଶର ବିଭିନ୍ନ ବିଜ୍ଞାନୀ, ଶିଳ୍ପସଂସ୍ଥା ତଥା ସରକାରୀ ଓ ବେସରକାରୀ ଏଜେନ୍ସି ଭାଗୀଦାର ରହିବେ । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସକାଶେ ଇସ୍ରୋ କେତେକ ବନ୍ଧୁରାଷ୍ଟ୍ରର ମହାକାଶ ଏଜେନ୍ସିମାନଙ୍କ ସହ ସହଯୋଗ ସ୍ଥାପନ ପ୍ରସ୍ତାବ ବିଷୟ ମଧ୍ୟ ଚିନ୍ତା କରିପାରେ ।

 

ଭାରତୀୟ ମହାକାଶ କାର୍ଯ୍ୟକ୍ରମ ଅତି ସରଳ ଅଭିଯାନରୁ ଆରମ୍ଭ ହୋଇ ଏବେ ଏକ ବ୍ୟାପକ କାର୍ଯ୍ୟକ୍ରମରେ ପରିଣତ ହୋଇଛି ଏବଂ ମହାକାଶ ପ୍ରଯୁକ୍ତିକୁ ବିଭିନ୍ନ ପ୍ରକାର ସାମାଜିକ ବିକାଶ ଯୋଜନାରେ ରୂପାୟନ କରାଯାଇପାରୁଛି । ଏହି ଯୋଜନାର ବୀଜ ଆଜକୁ ଛଅ ଦଶନ୍ଧି ପୂର୍ବେ ରୋପଣ କରାଯାଇଥିଲା । ଅଧୁନା ମହାକାଶ ଭିତ୍ତିକ କାର୍ଯ୍ୟକ୍ରମ ଭାରତରେ ବୈପ୍ଳବିକ ପରିବର୍ତ୍ତନ ସାଧନ କରିପାରିଛି । ଚନ୍ଦ୍ରାଯାନ -୧ କାର୍ଯ୍ୟକ୍ରମ, ମଙ୍ଗଳ ଅଭିଯାନ ଏବଂ ଆଷ୍ଟ୍ରୋସାଟ୍‌  ଭଳି କାର୍ଯ୍ୟକ୍ରମ କେବଳ ମହାକାଶ ବିଜ୍ଞାନ କ୍ଷେତ୍ରରେ ନୁହେଁ, ଅନ୍ୟାନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ବିଶ୍ୱ ଜ୍ଞାନ ଓ ପ୍ରଗତିକୁ ତ୍ୱରାନ୍ୱିତ କରିଛି ।

 

ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ଇସ୍ରୋ ଦ୍ୱାରା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମହାକାଶ ଯାନରେ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାର ମହତ୍ତ୍ୱାକାଂକ୍ଷୀ ଯୋଜନା ସ୍ଥିର କରାଯାଇଛି । ଏହା ଦେଶ ଓ ଦେଶବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର କଥା ହେବ । ଯଦିଚ ଭାରତୀୟ ମହାକାଶଚାରୀମାନେ ଇତି ପୂର୍ବରୁ ମହାଶୂନ୍ୟକୁ ଯାତ୍ରା କରିସାରିଛନ୍ତି ତଥାପି ଇସ୍ରୋ ଯାନରେ ମହାକାଶ ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି । ମହାକାଶ ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ଉପରେ ସରକାର ଗୁରୁତ୍ୱ ଆରୋପ କରିଆସୁଛନ୍ତି । ଅଧୁନା ଏହା କୃଷି, ରେଳବାଇ, ମାନବ ସମ୍ବଳ ବିକାଶ ଏବଂ ସଡ଼କ, ପରିବହନ ତଥା ରାଜମାର୍ଗ ଆଦି ବିଭାଗରେ ପ୍ରବର୍ତ୍ତନ କରାଯାଇଆସୁଛି ।

 

ଗଗନାଯାନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେଇ ଡକ୍ଟର ଶିବାନ କହିଲେ ଯେ ଏହି ଯାନରେ ଏକ ଅଭିଯାତ୍ରୀ ମଡ଼୍ୟୁଲ ଏବଂ ଏକ ସେବା ମଡ଼୍ୟୁଲ ରହିବ । ଏହା ହେବ ପ୍ରଦକ୍ଷିଣ ମଡ୍ୟୁଲ୍‌ । ଏହାର ମୋଟ ଓଜନ ୭ ଟନ୍‌ ମଧ୍ୟରେ ରହିବ ଯାହାକୁ ଏକ ରକେଟ ମହାଶୂନ୍ୟକୁ ବହନ କରିନେବ । ଏହି ଅଭିଯାନ ସମୟରେ ମହାକାଶଚାରୀମାନେ ମାଇକ୍ରୋଗ୍ରାଭିଟି ସଂପର୍କୀତ ପରୀକ୍ଷଣ କରିବେ । ଏହି ଅଭିଯାନରେ କିଏ ମହାକାଶଚାରୀ ଭାବେ ମହାଶୂନ୍ୟକୁ ଯିବେ ତାହା ଭାରତୀୟ ବାୟୁ ସେନା ଓ ଇସ୍ରୋ ମିଳିତ ଭାବେ ସ୍ଥିର କରିବେ ଏବଂ ମହାକାଶଚାରୀମାନଙ୍କୁ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ସକଳ ପ୍ରକାର ତାଲିମ ପ୍ରଦାନ କରାଯିବ । ଡକ୍ଟର ଶିବାନ କହିଲେ ଯେ ଇସ୍ରୋ ସକାଶେ ବାୟୋସାଇନ୍ସ ଏକ ନୂତନ ଗବେଷଣାର କ୍ଷେତ୍ର ଏବଂ ସେଥି ସକାଶେ ଅନ୍ୟାନ୍ୟ ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନର ସହଯୋଗ ଆବଶ୍ୟକ ।

Leave A Reply

Your email address will not be published.