ସବୁଜ ଦୀପାବଳି ସୁସ୍ଥ ଦୀପାବଳୀ ଅଭିଯାନର ଶୁଭାରମ୍ଭ

ସବୁଜ ଦୀପାବଳି ସୁସ୍ଥ ଦୀପାବଳୀ ଅଭିଯାନର ଶୁଭାରମ୍ଭ

0 72

ନୂଆଦିଲ୍ଲୀ . – ବାୟୁ ପ୍ରଦୂଷଣ ଏବେ ସାରା ଦେଶରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ବିଶେଷ କରି ଦେଶର ଉତ୍ତର ଭାଗରେ ଏହା ଏଭଳି ଗୁରତର ସ୍ତରରେ ପହଞ୍ଚିଛି ଯେ ସେଥିପାଇଁ ଜନସାଧାରଣଙ୍କୁ ଶୀତ ଦିନେ ମାସ ମାସ ଧରି ଜଟିଳ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଉତ୍ତର ଭାରତରେ ସୃଷ୍ଟ ବାୟୁ ପ୍ରଦୂଷଣ ମୁଖ୍ୟତଃ ବାୟୁମଣ୍ଡଳରେ ସୂକ୍ଷ୍ମ ଧୂଳିକଣା ଉଡ଼ିବା, କେତେକ ରାଜ୍ୟରେ ମାତ୍ରାଧିକ କ୍ଷେତ ପାଳ ଜଳାଯିବା, ନିର୍ମାଣସ୍ଥଳୀରୁ ବାହାରୁଥିବା ବର୍ଜ୍ୟକୁ ପୋଡ଼ିବା ଏବଂ ପାରିବେଶିକ ଅବନତି ସ୍ଥିତି ଦାୟୀ । ଏଭଳି ବାୟୁ ପ୍ରଦୂଷଣର ମାନବ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ରହିଛି, ବିଶେଷ କରି ଶିଶୁ, ବୃଦ୍ଧଜନ ଏବଂ ଯେଉଁମାନେ ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ସେମାନଙ୍କ ଉପରେ ଏହାର ପ୍ରଭାବ ସର୍ବାଧିକ । ଏହି ଋତୁରେ ହିଁ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଥାଏ ଏବଂ ଉତ୍ତର ଭାରତରେ ଏହା ଅଧିକ ଉତ୍ସାହର ସହ ପାଳିତ ହୋଇଥାଏ । ଲୋକମାନେ ଏହି ପର୍ବ ପାଳନ ବେଳେ ଦୀପାବଳି ମନାଇବା ସକାଶେ ପ୍ରଚୁର ବାଣ ଫୁଟାଇଥାନ୍ତି । ଏଭଳି ବାଣରେ ପର୍ୟ୍ୟାପ୍ତ ମାତ୍ରାର ଦାହ୍ୟ ରସାୟନିକ ପଦାର୍ଥ ଥାଏ ଯେଉଁଥିରେ ପୋଟାସିୟମ୍‌ କ୍ଲୋରେଟ ପାଉଡ଼ର, ଆଲୁମିନିୟମ୍‌, ମ୍ୟାଗ୍ନେସିୟମ୍‌, ବେରିୟମ୍‌ ଲବଣ, କପର, ସୋଡ଼ିୟମ୍‌, ଲିଥିୟମ୍‌, ଷ୍ଟ୍ରୋନିୟମ୍‌ ଇତ୍ୟାଦି ଥାଏ ଏବଂ ତାହା ଜଳିସାରିବା ପରେ ଧୂଆଁ ଆକାରରେ ବାୟୁମଣ୍ଡଳକୁ ଉଠି ଢ଼େର ସମୟ ପର୍ୟ୍ୟାନ୍ତ ବିଷାକ୍ତ ରାସାୟନିକ ପଦାର୍ଥ ଭାବେ ଭାସମାନ ଅବସ୍ଥାରେ ରହିଥାଏ । ବାଣ ଫୁଟାଇବା ଫଳରେ ଶବ୍ଦ ପ୍ରଦୂଷଣ ମାତ୍ରା ସର୍ବାଧିକ ମଧ୍ୟ ହୋଇଥାଏ ଯାହାର ଶିଶୁ, ବୃଦ୍ଧଜନ ଏବଂ ପଶୁପକ୍ଷୀଙ୍କ ଉପରେ ବ୍ୟାପକ କୁପ୍ରଭାବ ରହିଛି । ଏଭଳି କମ୍ପାଉଣ୍ଡ୍‌ ବ୍ୟତୀତ ବାଣ ଫୁଟାଇବା ଦ୍ୱାରା ବ୍ୟାପକ ପରିମାଣର ବର୍ଜ୍ୟ ବାହାରିଥାଏ । ଏହିସବୁ କାରଣକୁ ଦୃଷ୍ଟିରେ ରଖି ଏବଂ ବାୟୁମଣ୍ଡଳର ସୁରକ୍ଷା ସକାଶେ କେନ୍ଦ୍ର ପର୍ୟ୍ୟାବରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ “ହରିତ ଦିୱାଲୀ” ପାଳନ ସକାଶେ ଏକ ଅଭିଯାନ ଆରମ୍ଭ କରାଯାଇଛି । ଏହା ଦ୍ୱାରା ଦୀପାବଳିକୁ ଉପଭୋଗ୍ୟ ଭାବେ ମନାଯିବା ସହ ଲୋକମାନେ ଏହାକୁ ମନଭରି ଉପଭୋଗ କରିପାରିବେ । ହରିତ ଦୀୱାଲୀ ସଂପର୍କରେ ଏହି ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରାଯିବାର ପ୍ରୟାସ କରାଯାଉଛି ।

୨୦୧୭-୧୮ ମସିହାରେ ପ୍ରଥମ ଥର ପାଇଁ ଏଭଳି ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ଏଥିରେ ବିପୁଳ ସଂଖ୍ୟକ ସ୍କୁଲ ଛାତ୍ରଛାତ୍ରୀ ବିଶେଷ କରି ଇକୋ କ୍ଲବର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ସେମାନେ ଦୀପାବଳି ଅବସରରେ ବାଣ ନଫୁଟାଇବା ଏବଂ ସେମାନଙ୍କ ପ୍ରତିବେଶୀ ଓ ପରିଜନମାନଙ୍କୁ ସେଥିରୁ ବିରତ ରଖିବା ସକାଶେ ଶପଥ ଗ୍ରହଣ କରିଥିଲେ । ଏଥିପାଇଁ କରାଯାଇଥିବା ବ୍ୟାପକ ଅଭିଯାନ ବେଳେ ଶିଶୁମାନଙ୍କୁ ପର୍ୟ୍ୟାବରଣ ଅନୁକୂଳ ଢ଼ଙ୍ଗରେ ଦୀପାବଳି ମନାଇବା ସକାଶେ ପରାମର୍ଶ ଦିଆଯାଇଥିଲା । ସେମାନେ ଏହି ଅବସରରେ ନିଜର ସାଙ୍ଗସାଥୀ ଓ ପ୍ରତିବେଶୀମାନଙ୍କୁ ଚାରା, ମିଷ୍ଟାନ୍ନ ବଣ୍ଟନ, ନିଜ ଘର ପାର୍ଶ୍ଵବର୍ତ୍ତି ପରିବେଶ, ବିଦ୍ୟାଳୟର ସଫେଇ, ପୁରୁଣା ପୁସ୍ତକ ଓ ଅବ୍ୟବହୃତ ନୋଟବୁକ୍‌ ଆଦି ସଂଗ୍ରହ କରିବା ଓ ସେମାନଙ୍କୁ ଗରିବ ପିଲାମାନଙ୍କୁ ବାଣ୍ଟିବା, ଦରିଦ୍ର ଓ ବାସହୀନ ଲୋକମାନଙ୍କୁ ଶୀତ ପୋଷାକ ଓ କମ୍ବଳ ଆଦି ଶୀତବସ୍ତ୍ର ବାଣ୍ଟିବା ଭଳି ପର୍ୟ୍ୟାବରଣ ଅନୁକୂଳ ଢ଼ଙ୍ଗରେ ଏହା ମନାଇବା ସକାଶେ ପ୍ରୋତ୍ସାହିତ କରାଯାଇଥିଲା । ଦୀପାବଳି ଅବସରରେ ପିଲାମାନେ ସେମାନଙ୍କର ଘର ଓ ବିଦ୍ୟାଳୟରେ ମହମବତୀ ଓ ଦୀପ ଜାଳିବା ଲାଗି ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏଭଳି ଅଭିଯାନରୁ ବେଶ୍‌ ସଫଳତା ମିଳିଥିଲା ଏବଂ ଏହା ଦ୍ୱାରା ୨୦୧୭ ମସିହାରେ ଦୀପାବଳି ପରେ ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ଢ଼େର୍‌ କମ୍‌ ରହିଥିଲା । ଏହା ପୂର୍ବ ବର୍ଷ ଅର୍ଥାତ୍‌ ୨୦୧୬ ମସିହାରେ ଦୀପାବଳି ପରେ ପରେ ଉତ୍ତର ଭାରତର ବାୟୁମଣ୍ଡଳ ଭୀଷଣ ଭାବେ ପ୍ରଦୂଷିତ ହୋଇଥିଲା ।

ଏହି ଧାରାକୁ ଅବ୍ୟାହତ ରଖିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ଅନୁରୂପ ଅଭିଯାନ ଆରମ୍ଭ କରାଯାଇଛି । ତେବେ ଚଳିତ ବର୍ଷ ଏହାକୁ ସର୍ବ ଭାରତୀୟ ସ୍ତରରେ କରାଯିବା ସକାଶେ ଯୋଜନା କରାଯାଇଛି । ସେଥିପାଇଁ “ହରିତ ଦିୱାଲୀ ସ୍ୱସ୍ଥ ଦିୱାଲୀ” ଅଭିଯାନକୁ ଏବେ “ଗ୍ରୀନ୍‌ ଗୁଡ଼୍‌ ଡ଼ିଡ଼” ଆନ୍ଦୋଳନ ସହ ମିଶ୍ରଣ ଘଟାଯଇଛି । ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରି ପର୍ୟ୍ୟାବରଣ ସୁରକ୍ଷା ଦିଗରେ ପ୍ରୟୋଗ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଅଭିଯାନରେ ଅଧିକରୁ ଅଧିକ ସ୍କୁଲ ଓ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସକାଶେ ପେ ମନ୍ତ୍ରଣାଳୟ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି ।

Leave A Reply

Your email address will not be published.