ବଢୁଛି ଭାରତର ପତିଆରା, ଉଭୟ ଋଷିଆ ଓ ଆମେରିକା ଏବେ ଭାରତର ସାମରିକ ସହଯ଼ୋଗୀ

ଋଷିଆରୁ କିଣା ହେଲା ଏସ-୪୦୦, ଇରାନରୁ ତେଲ କିଣିବା ଜାରି ରହିବ

0 451
ନୂଆଦିଲ୍ଲୀ : ଆମେରିକାର ବାରଣ, ନାଲି ଆଖିକୁ ଖାତିର ନକରି ଭାରତ ସରକାର ନିଜର ଦୁଇ ପୁରୁଣା ବନ୍ଧୁ ଋଷିଆ ଓ ଇରାନ ସହ ସଂପର୍କକୁ ବଜାୟ ରଖିଛି । ଗତ କାଲି ଭାରତ ଋଷିଆରୁ ଏସ-୪୦୦  ଟ୍ରିୟମ୍ପ  ମିସାଇଲ   ଡିଫେନ୍ସ ସିଷ୍ଟମ  କିଣିବାକୁ ଚୁକ୍ତି କରିଛି  । ଏହା ଭାରତର ବାୟୁସୀମାକୁ ଏକ ଅଭେଦ୍ୟ ବଳୟ ମଧ୍ୟରେ ସୁରକ୍ଷିତ ରଖିବ ।  ଭାରତ ଏହା କିଣିବା ପରେ ଚୀନ ଓ ପାକିସ୍ତାନ ଚିନ୍ତାରେ ପଡିଯ଼ାଇଛନ୍ତି, କାରଣ  ଏସ-୪୦୦ର ରେଂଜ ମଧ୍ୟରେ ସଂପୂର୍ଣ୍ଣ ପାକିସ୍ତାନ ଓ ଚୀନର ଏକ ବଡ଼ ଅଂଚଳ ଆସିବ । ସେମାନଙ୍କର ଲଢୁଆ ବିମାନ ଓ ମିସାଇଲକୁ ୪୦୦ କିଲୋମିଟର ଦୂରରୁ ମାରି ଖସେଇ ଦେବ ।
ଅନ୍ୟପକ୍ଷରେ ଆମେରିକାର ବାରଣରୁ ନମାନି ଇରାନଠାରୁ ତେଲ କିଣିବା ଅବ୍ୟାହତ ରଖିବାକୁ ଭାରତ ନିଷ୍ପତି ନେଇଛି  ।  ଇରାନଠାରୁ ତେଲ କିଣୁଥିବା ଦେଶମାନଙ୍କ ବିରୋଧରେ ଆସନ୍ତା ନଭେମ୍ବର ୪ ପରଠାରୁ ଆର୍ଥିକ କଟକଣା ଲଗାଇବାକୁ ଆମେରିକା ଘୋଷଣା କରିଛି । ଅର୍ଥାତ ଯିଏ  ଇରାନରୁ ତେଲ କିଣିବ ତାହାକୁ ଆମେରିକୀୟ ବ୍ୟାଙ୍କମାନେ ଡଲାର ଦେବେ ନାହିଁ । ଏହା ସତ୍ତ୍ୱେ ଭାରତ ଇରାନରୁ ତେଲ କିଣିବା ଅବ୍ୟାହତ ରଖିବ ବୋଲି ଜଣାଯାଇଛି । ଭାରତୀୟ ଟଙ୍କା ବିନିମୟରେ ଇରାନ ତେଲ ଦେବାକୁ ରାଜି ହୋଇଥିବା ଜଣାଯାଇଛି । ନଭେମ୍ବର ୪ ପରେ ବି ଭାରତୀୟ କମ୍ପାନିମାନେ ଇରାନକୁ ପ୍ରାୟ ୧.୨୫ ନିୟୁତ ଟନର ତେଲ ଆମଦାନୀ ପାଇଁ ଅର୍ଡର ଦେଇଛନ୍ତି । ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ତିନିବର୍ଷ ପୂର୍ବେ ଇରାନ ଉପରେ ଆମେରିକା ଲଗାଇଥିବା କଟକଣା ଉଠାଇବା ପର୍ଯ୍ୟନ୍ତ ଭାରତ ଟଙ୍କା ଓ ୟୁରୋ ବିନିମୟରେ ଇରାନରୁ ତେଲ କିଣୁଥିଲା । କିନ୍ତୁ କଟକଣା ଲାଗିବା ପରେ ଭାରତ କ୍ଷତି ସହିବାର ଆଶଙ୍କା କରୁଛି ।

ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତର ମୋଦି ସରକାର ଆମେରିକାର କଟକଣା ଧମକକୁ ଖାତିର କରୁନାହିଁ । ଏପରିକି ଆମେରିକା ଚୀନ ବିରୋଧରେ କଟକଣା ଲଗାଉଥିବାବେଳେ ଭାରତ ପ୍ରତି କୋହଳ ମନୋଭାବ ପୋଷଣ କରୁଛି ।  ଏବେ ପୃଥିବୀରେ ଭାରତର ପତିଆରା ଏତେ ବଢିଯ଼ାଇଛି ଯ଼େ ଦୁଇ ମହାଶକ୍ତି ଓ ନିଜ ନିଜର ପରମଶତ୍ରୁ ଆମେରିକା ଓ ଋଷିଆ ସମସ୍ତେ ଭାରତର ମୁଖ୍ୟ ସାମରିକ ସହଯ଼ୋଗୀ ପାଲଟିଛନ୍ତି  ।

Leave A Reply

Your email address will not be published.