ସହଜ ଜୀବିକା ନିର୍ବାହ ସୂଚକାଙ୍କ’, ସର୍ବୋକୃଷ୍ଟ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ , ଆନ୍ଧ୍ର ପ୍ରଥମ

0 70

ନୂଆଦିଲ୍ଲୀ .  –  ସହଜ ଜୀବିକା ନିର୍ବାହ ସୂଚକାଙ୍କ ମାନ୍ୟତାରେ ଆନ୍ଧ୍ର ପ୍ରଦେଶ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏ ସଂପର୍କୀତ ସୂଚନା ଜାରି କରାଯାଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ଏବଂ ତୃତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ । ସଂପୃକ୍ତ ତିନୋଟି ରାଜ୍ୟକୁ (ସୋମବାର) ଅଟଳ ମିଶନ ଫର ରେଜୁଭେନେସନ ଏବଂ ଅର୍ବାନ ଟ୍ରାନ୍ସଫରମେଶନ (ଅମୃତ) ଅଧିନରେ ସହଜ ଜୀବିକା ନିର୍ବାହ ସୂଚକାଙ୍କ ୨୦୧୮ ଉପରେ ଆୟୋଜିତ ଏକ ରାଷ୍ଟ୍ରୀୟ କର୍ମଶାଳାରେ ପୁରସ୍କୃତ କରାଯାଇଥିଲା ।

 

କେନ୍ଦ୍ର ଆବସ ଓ ସହରାଂଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ) ହରଦୀପ ସିଂହ ପୁରୀ ରାଜ୍ୟଗୁଡିକୁ ପୁରସ୍କାର ପ୍ରଦାନ କରିବା ସହ  , ସହଜ ଜୀବିକା ନିର୍ବାହ ସୂଚକାଙ୍କ ମନ୍ତ୍ରଣାଳୟର ଏକ ପରିବର୍ତ୍ତନୀୟ ପଦକ୍ଷେପ ଯାହାଦ୍ୱାରା ସହରଗୁଡିକୁ ରାଷ୍ଟ୍ରୀୟ ତଥା ବୈଶ୍ୱିକ ସ୍ତରର ମାନକ ଆଧାରରେ ସେମାନଙ୍କ ଜୀବନଧାରାର ମୂଲ୍ୟାୟନ କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ସହଜ ଜୀବିକା ନିର୍ବାହ ସୂଚକାଙ୍କ ସହରଗୁଡିକୁ ସହରୀ ଯୋଜନା ଏବଂ ପରିଚାଳନା କ୍ଷେତ୍ରରେ ‘ପରିଣାମ-ଆଧାରିତ’ ଦୃଷ୍ଟିକୋଣରୁ ସହରଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ । ମନ୍ତ୍ରଣାଳୟ ସଚିବ ଦୁର୍ଗାଶଙ୍କର ମିଶ୍ର, ଅତିରିକ୍ତ ସଚିବ ଏବଂ ସହରାଂଚଳ ବ୍ୟାପାର ମିଶନ ମୁଖ୍ୟ ଶ୍ରୀ ଶିବ ଦାସ ମୀନା, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକର ସହରାଂଚଳ ଯୋଜନାକାରୀମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

 

ଏହି ଅବସରରେ ପ୍ରତିଯୋଗୀ ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ମନ୍ତ୍ରୀ ପୁରୀ କହିଥିଲେ ଯେ ଏହି କାର୍ୟ୍ୟକ୍ରମ ନିରନ୍ତର ସହରୀକରଣ ଦିଗରେ ପ୍ରମାଣ ଆଧାରିତ ଯୋଜନା ଏବଂ କାର୍ୟ୍ୟ ପ୍ରକ୍ରୀୟା ପ୍ରୋତ୍ସାହନ ପ୍ରଦାନ କରିବାରେ ଭାରତର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ମାଇଲଖୁଂଟ ସ୍ଥାପିତ କରିପାରିଛି । ସେ କହିଥିଲେ ଯେ ସହଜ ଜୀବିକା ନିର୍ବାହ ସୂଚକାଙ୍କ ସହରଗୁଡିକୁ ନିଜର ଶକ୍ତି, ଦୁର୍ବଳତା, ସୁଯୋଗ ଏବଂ ବିପଦର ୩୬୦ ଡିଗ୍ରୀ ମୂଲ୍ୟାୟନ କରିବାରେ ସହାୟତା କରିପାରିବ । ବସବାସ ଉପଯୋଗୀ ସୂଚକାଙ୍କ ଆଧାରରେ ୧୧୬ଟି ସହର (ସମସ୍ତ ସ୍ମାର୍ଟ ସିଟି ଏବଂ ଅନ୍ୟ ସହରଗୁଡିକୁ) ଜୁନ ୨୦୧୭ ରେ ମାନ୍ୟତା ପ୍ରଦାନ କରିବାର ନିଷ୍ପତ୍ତି ନିଆଯାଇଥିଲା । ଏହି ମୂଲ୍ୟାୟନର କାର୍ୟ୍ୟାନ୍ୱୟନ ଜାନୁଆରୀ ୧୯, ୨୦୧୮ରେ ଔପଚାରିକ ଭାବେ ଆରମ୍ଭ କରାଯାଇଛି । ମନ୍ତ୍ରଣାଳୟ ଦ୍ୱାରା ଅଗଷ୍ଟ ୧୩, ୨୦୧୮ ରେ ୧୧୧ ଟି ସହରକୁ ନେଇ ପ୍ରଥମ ସହଜ ଜୀବିକା ନିର୍ବାହ ସୂଚକାଙ୍କ ଜାରି କରାଯାଇଥିଲା ଯାହାଦ୍ୱାରା ବିଭିନ୍ନ ସହରରେ ଲିଟମସ ପରୀକ୍ଷଣ ଜରିଆରେ ବିକାଶର ମୂଲ୍ୟାୟନ କରାଯାଇଥିଲା । ସମସ୍ତ ସହରଗୁଡିକର ମୂଲ୍ୟାୟନ ୧୦୦ଟି ମଧ୍ୟରୁ କରାଯାଇଥିଲା । ୪୫ ଟିକୁ ‘ଭୌତିକ ସ୍ତମ୍ଭ’ (ଭତ୍ତିଭୂମି) କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଥିବାବେଳେ ସଂସ୍ଥାଗତ (ଶାସନ) ଏବଂ ସାମାଜିକତାକୁ ପ୍ରତ୍ୟେକ ୨୫ ଲେଖାଏଁ ପ୍ରଦାନ କରାଯାଇଥିଲା । ସେହଭଳି ଅର୍ଥ ବ୍ୟବସ୍ଥାକୁ ୫ ପ୍ରଦାନ କରାଯାଇଥିଲା ।

 

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ସହଜ ଜୀବିକା ନିର୍ବାହ ଢାଂଚାରେ ଚାରୋଟି ସ୍ତମ୍ଭକୁ ସାମିଲ କରାଯାଇଛି । ସେଥିମଧ୍ୟରେ ରହିଛି ସଂସ୍ଥାଗତ, ସାମାଜିକ, ଆର୍ଥିକ ଏବଂ ଶାରିରୀକ ଯାହାକୁ ଆହୁରୀ ୧୫ଟି ଶ୍ରେଣୀରେ (ଶାସନ, ପରିଚୟ ଏବଂ ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ନିରାପଦ ଏବଂ ସୁରକ୍ଷା, ଅର୍ଥ, ଶସ୍ତାରେ ଗୃହ, ଭୂମି ଉପଯୋଗୀ ଯୋଜନା, ସାର୍ବଜନୀନ ଖୋଲା ସ୍ଥାନ, ପରିବହନ ଏବଂ ଗତିଶୀଳତା, ନିରନ୍ତର ପେୟ ଜଳ ଯୋଗାଣ, ଅପରିସ୍କାର ଜଳ ନିସ୍କାସନ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବିଜୁଳି ଏବଂ ଗୁଣାତ୍ମକ ପରିବେଶ) ଆଦିକୁ ୭୮ଟି ସୂଚକାଙ୍କରେ ବିଭକ୍ତ କରାଯାଇଛି । ସହଜ ଜୀବିକା ନିର୍ବାହ ସୂଚକାଙ୍କ ମୂଲ୍ୟାୟନ ମାନକର ନିରନ୍ତର ବିକାଶ ଲକ୍ଷ୍ୟ ସହିତ ଅବିଚ୍ଛିନ୍ନ ସଂପର୍କ ରହିଛି । ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ ମଧ୍ୟରୁ ୮ଟି ଲକ୍ଷ୍ୟ ସହିତ ଏହା ୧୧ ସହଜ ଜୀବିକା ନିର୍ବାହ ସୂଚକାଙ୍କ ଢାଂଚା ସହିତ ସିଧାସଳଖ ସଂପର୍କ ରହିଛି ।

 

ମନ୍ତ୍ରୀ କହିଥିଲେ ଯେ ଆମ ସହରଗୁଡିକୁ ସାମଗ୍ରୀକ, ସୁରକ୍ଷିତ, ନମନୀୟତା ଏବଂ ନିରନ୍ତର କରିବା ଏହାର ଉଦ୍ଦେଶ୍ୟ ଏବଂ ଏହା ୩୦ଟି ସୂଚକାଙ୍କ ଜରିଆରେ ମୂଲ୍ୟାୟନ କରାଯାଉଛି । ସେ କହିଥିଲେ ଯେ ସହଜ ଜୀବିକା ନିର୍ବାହ ସୂଚକାଙ୍କ ଭାରତର ସହରାଂଚଳରେ ନିରନ୍ତର ଲକ୍ଷ୍ୟ ହାସଲ ଦିଗରେ ବିକାଶ କାର୍ୟ୍ୟଗୁଡିକର ବ୍ୟବସ୍ଥିତ ଢଙ୍ଗ ଏବଂ ତୀବ୍ରତା ମୂଲ୍ୟାୟନ କରିବା ପାଇଁ ସହଯୋଗ କରିବ ।

 

ସମସ୍ତ ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ୩୩ଟି ରାଜ୍ୟସ୍ତରୀୟ କର୍ମଶାଳା ସମସ୍ତ ହିତାଧିକାରୀମାନଙ୍କୁ ନେଇ କରାଯାଇଥିଲା । ୧୫୦୦ରୁ ଅଧିକ ଅଧିକାରୀମାନେ ସମସ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ସହର ପ୍ରଶାସନ ପ୍ରଦର୍ଶନର ମୂଲ୍ୟାୟନ ପାଇଁ ଚାରି ମାସ ଧରି ଏକ କାର୍ୟ୍ୟକ୍ରମ ଜାରି କରାଯାଇଥିଲା ଯେଉଁଥିରେ ୬୦ ହଜାରରୁ ଅଧିକ ନାଗରିକମାନଙ୍କ ପ୍ରତିକ୍ରୀୟା ସନ୍ତୋଷଜନକ ଥିଲା । ପ୍ରଥମ ପର୍ୟ୍ୟାୟରେ ସହଜ ଜୀବିକା ନିର୍ବାହ ଅନ୍ତର୍ଗତ୧୧୧ଟି ସହରକୁ ସାମିଲ କରାଯାଇଥିଲା । ପଶ୍ଚିମ ବଙ୍ଗର ଚାରୋଟି ସହର- ହାୱଡା, ନିଉ ଟାଉନ କୋଲକାତା, କୋଲକାତା ଏବଂ ଦୁର୍ଗାପୁର ଏଥିରେ ସାମିଲ ହୋଇନଥିଲେ ଏବଂ ଛତିଶଗଡର ନୟା ରାୟପୁର ଏବଂ ଆନ୍ଧ୍ରପ୍ରଦେଶର ଅମରାବତି ଗ୍ରୀନ ଫିଲ୍ଡ ସହର ହୋଇଥିବାରୁ ମାନକକୁ ପୂରା କରିପାରିନଥିଲେ ।

ସରକାର ଆଶାବ୍ୟକ୍ତ କରିଛନ୍ତି ଯେ ଏହି ଯୋଜନା ଦ୍ୱାରା ଆଗାମୀ ଦିନର ମାନ୍ୟତା ଆଧାରରେ ସହରଗୁଡିକ ମଧ୍ୟରେ ପ୍ରତିଯୋଗିତାର ଭାବନା ଜାଗ୍ରତ ହେବ ଏବଂ ନାଗରିକମାନଙ୍କର ତୀବ୍ର ରୁଚି, ତୁଳନା, ଆଲୋଚନା ଏବଂ ବିଶ୍ଲେଷଣ କ୍ଷମତା ଜାଗ୍ରତ ହେବ ଯାହା ସହରର ବିକାଶ ଦିଗରେ ସହାୟକ ହେବ ।

Leave A Reply

Your email address will not be published.