ମଣିପୁରରେ ୭୫୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

0 42

ଇମ୍ପାଲ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରରେ ୭୫୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେହିସବୁ କାର୍ଯ୍ୟକ୍ରମ ମଧ୍ୟରେ ଜାତୀୟ କ୍ରୀଡା ବିଶ୍ଵବିଦ୍ୟାଳୟ, ୧୦୦୦ ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଲୁୱାଙ୍ଗପୋକ୍ପା ବହୁମୂଖୀ କ୍ରୀଡା ପରିସର, ରାଣୀ ଗାଇଡିନଲିଉ ପାର୍କ ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଲୁୱାଙ୍ଗପୋକ୍ପା ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ।
ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ତାଙ୍କର ଗତ ଏକ ବର୍ଷର ସଫଳ କାର୍ଯ୍ୟ ସମ୍ପାଦନ ପାଇଁ ଅଭିନନ୍ଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ତାହା ରାଜ୍ୟର ଯୁବ ଗୋଷ୍ଠୀଙ୍କ ଆଶାଆକାଂକ୍ଷା ପୂରଣ କରିବ, ସେମାନଙ୍କୁ ନିଯୁକ୍ତି ଦେବ, ମହିଳାମାନଙ୍କୁ ସଶକ୍ତ କରିବ ଏବଂ ଯୋଗାଯୋଗକୁ ସୁଗମ କରିବ । ଜାତୀୟ କ୍ରୀଡା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାର କାରଣ ହେଉଛି ରାଜ୍ୟର ଯୁବ ପ୍ରତିଭାମାନଙ୍କ କ୍ରୀଡା ଦକ୍ଷତା ବୃଦ୍ଧି କରିବା ଏବଂ ଉତ୍ତର-ପୂର୍ବାଞ୍ଚଳର କ୍ଷମତାର ବିକାଶ କରିବା । ଏହି ଅବସରରେ ସେ ମଣିପୁରର ଯୁବ ଗୋଷ୍ଠୀଙ୍କୁ “ଖେଲୋ ଭାରତ” ଉଦ୍ୟମରୁ ସର୍ବାଧିକ ଫାଇଦା ଉଠାଇବାକୁ ଆହ୍ଵାନ ଜଣାଇଥିଲେ । ନିକଟରେ ଅନୁଷ୍ଠିତ ଖେଲୋ ଭାରତ କ୍ରୀଡାରେ ମଣିପୁରର ଯୁବକମାନଙ୍କ ସାଫଲ୍ୟ ପାଇଁ ସେ ବଧେଇ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁମୂଖୀ କ୍ରୀଡା କମ୍ପ୍ଲେକ୍ସ ସେମାନଙ୍କୁ ତାଲିମ ଏବଂ ପ୍ରତିଯୋଗିତାର ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମଣିପୁର ସମସ୍ତଙ୍କୁ ଦେଖାଇ ଦେଇଛି ଯେ, କ୍ରୀଡା କିଭଳି ଭାବେ ମହିଳାମାନଙ୍କୁ ସଶକ୍ତ କରିପାରେ । ମୀରାବାଈ ଚାନୁ ଏବଂ ସରିତା ଦେବୀଙ୍କ ସମେତ ରାଜ୍ୟର ପ୍ରସିଦ୍ଧ କ୍ରୀଡା ତାରକାମାନଙ୍କୁ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ୧୦୦୦ ଅଙ୍ଗନୱାଡି କେନ୍ଦ୍ରର ଆଜି ଶିଳାନ୍ୟାସ କରିଛନ୍ତି । ନିକଟରେ ଆରମ୍ଭ ହୋଇଥିବା ଜାତୀୟ ପୌଷ୍ଟିକ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଉତ୍ତର-ପୂର୍ବାଞ୍ଚଳ ପାଇଁ “ପରିବହନ ଦ୍ଵାରା ପରିବର୍ତ୍ତନ” ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଭାରତ ବିକାଶର ଇଞ୍ଜିନ ଏବେ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ହେବାକୁ ଯାଉଛି । ଦେଶର ଅନ୍ୟ ଭାଗ ସହ ବିକାଶ ଧାରାକୁ ସମାନ କରିବା ଉଦ୍ଦେଶ୍ୟରେ ଉତ୍ତର-ପୂର୍ବାଞ୍ଚଳର ସମସ୍ତ ସ୍ଵତନ୍ତ୍ର ଆବଶ୍ୟକତା ସରକାର ପୂରଣ କରୁଛନ୍ତି । ସେ ନିଜେ ଗତ ୪ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳକୁ ୨୫ ଥର ଗସ୍ତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି କ୍ଷେତ୍ରର ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର ବିପୁଳ ଗୁରୁତ୍ଵ ପ୍ରଦାନ କରିଛନ୍ତି । ଏହି କ୍ଷେତ୍ର ସହ ସଡକ ଓ ରେଳ ସଂଯୋଗ ସ୍ଥାପନ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ସୁଚାଇଥିଲେ ।
ରାଜ୍ୟ ସରକାରଙ୍କ ଜନ କୈନ୍ଦ୍ରିକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରସଂଶା କରିଥିଲେ । ସେଥିମଧ୍ୟରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଏବଂ ଭାବ ବିନିମୟ ସାମିଲ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ମରଣ କରାଇଦେଇଥିଲେ ଯେ, ୧୯୪୪ ମସିହା ଏପ୍ରିଲ ମାସରେ ସୁଭାଷ ଚନ୍ଦ୍ର ବୋଷଙ୍କ ଆଇଏନଏ ମଣିପୁରଠାରୁ ହିଁ ସ୍ଵାଧିନତାର ବିଗୁଲ ବଜାଇଥିଲେ । ସେହିଭଳି ନୂତନ ଭାରତର ଅଭ୍ୟୁତ୍ଥାନରେ ମଣିପୁର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ନିଷ୍ପତ୍ତି କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

Leave A Reply

Your email address will not be published.