ଭାରତ ପାକିସ୍ତାନ ସୀମାରେ ଲାଗିଲା ସ୍ମାର୍ଟ ତାର ବାଡ, ଆତଙ୍କବାଦୀ ପ୍ରବେଶର ଦେବ ସୂଚନା

0 200

ନୂଆଦିଲ୍ଲୀ .  –ଜମ୍ମୁକୁ ଲାଗିଥିବା ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାରେଖାରେ ଦୁଇଟି ସ୍ମାର୍ଟ ଫେନ୍ସିଂ (ତାରବାଡ଼) ପାଇଲଟ ପ୍ରକଳ୍ପକୁ ସୋମବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉଦଘାଟନ କରିଛନ୍ତି ।

ଏହି ଅବସରରେ  ଦେଶର ସୀମାକୁ ଅଧିକ ନିରାପଦ କରିବାକୁ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ବୋଲି ରାଜନାଥ ସିଂ କହିଛନ୍ତି । ସୀମାରେ ନିରାପତ୍ତା ବ୍ୟବସ୍ଥାକୁ ଦୃଢ଼ ଓ ଫଳପ୍ରଦ କରିବାକୁ ସରକାର ଟେକ୍ନୋଲୋଜିର ଅଧିକ ବ୍ୟବହାର କରୁଛନ୍ତି । ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକର ସମମ୍ୟା ଦୂର କରିବାକୁ ଏହି ସ୍ମାର୍ଟ ତାରବାଡ଼ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ପରୀକ୍ଷାମୂଳକ ଭାବେ ଏବେ ଜମ୍ମୁକୁ ଲାଗିଥିବା ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାରେଖାରେ ୫ କିଲୋମିଟର ଦୂରତ୍ୱରେ ଦୁଇଟି ସ୍ମାର୍ଟ ତାରବାଡ଼ ପ୍ରକଳ୍ପ କାର୍ୟ୍ୟକାରୀ କରାଯାଉଛି ।

ସ୍ମାର୍ଟ ତାରବାଡ଼ ଯୋଗୁ ସୀମାରେ ଯବାନଙ୍କ ସହିଦ ହେବା ଘଟଣା ହ୍ରାସ ପାଇବ ଏବଂ ଯବାନଙ୍କ ମାନସିକ ବଳକୁ ମଧ୍ୟ ଦୃଢ଼ କରିପାରିବ ।ସ୍ମାର୍ଟ ତାରବାଡ଼ ଯୋଗୁ ଆମ ସୀମା ସମ୍ପୂର୍ଣ୍ଣ ନିରାପଦ ରହିପାରିବ । କାରଣ ଏହାକୁ ଅତିକ୍ରମ କରିବା ଆତଙ୍କବାଦୀଙ୍କ ପକ୍ଷେ ଅସମ୍ଭବ ଓ ଅନୁପ୍ରବେଶ କରିବା କଷ୍ଟକର ହେବ ।

କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ବିକାଶ (ସ୍ୱାଧୀନ), ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ, ପର୍ସୋନେଲ, ପବ୍ଲିକ ଗ୍ରିଭାନ୍ସ ଓ ପେନସନ୍, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ବିଏସଏଫ୍ ମହାନିର୍ଦ୍ଦେଶକ କେ.କେ. ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

 

, ସୀମାକୁ ସମ୍ପୂର୍ଣ୍ଣ ନିରାପଦ ରଖିବା ସରକାରଙ୍କ ପାଇଁ ପ୍ରାଥମିକତା । ୨୦୨୬ କିଲୋମିଟର ଦୈର୍ଘ୍ୟର ସୀମା ସମ୍ବେଦନଶୀଳ ଏବଂ ଏହାକୁ ଡିଜିଟାଲ ତାରବାଡ଼ ଟେକ୍ନୋଲୋଜି ଦ୍ୱାରା ସୁରକ୍ଷିତ ରଖିବାକୁ ପ୍ରଚେଷ୍ଟା କରାଯାଉଛି । ସ୍ମାର୍ଟ ଫେନ୍ସିଂ ଦ୍ୱାରା ସୀମା ଅଧିକ ନିରାପଦ ରହିପାରିବ ଏବଂ ଯବାନଙ୍କ ଦ୍ୱାରା ଗ୍ରାଉଣ୍ଡ ପାଟ୍ରୋଲିଂ ହ୍ରାସ ପାଇପାରିବ ।

 

ଦେଶରେ ପ୍ରଥମ ଥର ପାଇଁ କମ୍ପ୍ରେହେନ୍ସିଭ୍ ଇଣ୍ଟିଗ୍ରେଟେଡ ବର୍ଡର ମ୍ୟାନେଜମେଣ୍ଟ ସିଷ୍ଟମ (ଉଓଈଗଝ) କାର୍ୟ୍ୟକ୍ରମ ଅଧୀନରେ ସ୍ମାର୍ଟ ବର୍ଡର ଫେନ୍ସି (ସୀମା ତାରବାଡ଼) କରାଯାଉଛି । ଆନ୍ତର୍ଜାତିକ ସୀମାରେଖାରେ ପ୍ରତ୍ୟେକ ୫.୫ କିଲୋମିଟର ଦୈର୍ଘ୍ୟର ଦୁଇଟି ପ୍ରକଳ୍ପ କାର୍ୟ୍ୟକାରୀ ହୋଇଛି । ଏହାଦ୍ୱାରା ଦୃଶ୍ୟ ହେଉନଥିବା ଇଲେକ୍ଟ୍ରୋନିକ୍ ବ୍ୟାରିଅର ରହିବ ଏବଂ ଭୂଭାଗ, ଭୂତଳ, ଜଳ ଏବଂ ଆକାଶରେ ଏହା ନଜର ରଖିପାରିବ, ଯାହାଦ୍ୱାରା କି ଦୁର୍ଗମ ଅଞ୍ଚଳରେ ବିଏସଏଫ୍ ଅନୁପ୍ରବେଶ ଉଦ୍ୟମକୁ ଠାବ କରି ବିଫଳ କରିପାରିବ । ଗମନାଗମନ ନଥିବା ଏବଂ ନଦୀ ଶଯ୍ୟାରେ ଯେଉଁଠାରେ ପାଟ୍ରୋଲିଂ ସମ୍ଭବ ନୁହେଁ, ତାହା ଉପରେ ମଧ୍ୟ ସିଆଇବିଏମଏସ ଟେକ୍ନୋଲୋଜି ଦ୍ୱାରା ନଜର ରଖାଯାଇପାରିବ ।

ନିରୀକ୍ଷଣ, ସଞ୍ଚାର ଏବଂ ତଥ୍ୟ ସଂରକ୍ଷଣ ପାଇଁ ସିଆଇବିଏମଏସ୍ ଭିନ୍ନ ଭିନ୍ନ ଡିଭାଇସ ବ୍ୟବହାର କରୁଛି । ଏରୋଷ୍ଟାଟ, ଟାୱାର ଏବଂ ଖୁଣ୍ଟ ଇତ୍ୟାଦିରେ ଥର୍ମାଲ ଇମେଜର, ୟୁଜିଏସ୍, ଫାଇବର ଅପ୍ଟିକାଲ ସେନ୍ସର, ରାଡାର, ସୋନାର ଇତ୍ୟାଦି ସେନ୍ସର ସଂଯୁକ୍ତ କରାଯାଇଛି । ସିଆଇବିଏମ୍ଏସ ପ୍ରକଳ୍ପରେ ଏ ସବୁ ସେନ୍ସର ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜିକୁ ସମନ୍ୱିତ କରାଯାଇଛି । ଏହାର ସିଗନାଲ ୟୁନିଫାଏଡ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟରରେ ପହଞ୍ଚିଥାଏ, ଯଦ୍ୱାରାକି ବିଏସଏଫ୍ ଏହାକୁ ଉଚିତ ସମୟରେ ନିରୀକ୍ଷଣ କରିବାରେ ସୁବିଧା ହୋଇଥାଏ । ଧୂଳିଝଡ଼, କୁହୁଡ଼ି କିମ୍ବା ବର୍ଷା, ଭିନ୍ନ ଭିନ୍ନ ପାଣିପାଗରେ ପ୍ରତ୍ୟେକ ସମୟରେ ଚବିଶ ଘଣ୍ଟା ସୀମାରେ ନଜର ରଖିବାରେ ସିଆଇବିଏମଏସ ଦ୍ୱାରା ସମ୍ଭବ ।

 

ଜମ୍ମୁ ଗସ୍ତ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନରେ ଭାଗ ନେବା ସହ ବିଏସଏଫ୍ ଅଧିକାରୀ, ଯବାନ୍ ଓ ଅନ୍ୟାନ୍ୟ ଅଫିସରମାନଙ୍କୁ ସ୍ୱଚ୍ଛତାର ଶପଥ ଗ୍ରହଣ କରାଇଥିଲେ ।

Leave A Reply

Your email address will not be published.