ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଦଶହରା ପର୍ବ ଶେଷ ହୋଇଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ଭସାଣ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ପ୍ରସିଦ୍ଧ ଭସାଣି ଯାତ୍ରା ପାଇଁ କମିଶନରେଟ୍ ପୋଲିସ୍
ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଭସାଣି ଶୋଭାଯାତ୍ରାରେ ଆସୁଥିବା ମେଢ଼ଗୁଡ଼ିକ ପାଇଁ ସ୍ୱତନ୍ତ୍ର ରୁଟ୍ ଚାର୍ଟ ଜାରି କରାଯାଇଥିବା
ବେଳେ କାଠଯୋଡ଼ି ନଦୀର ଦେବୀଗଡ଼ାଠାରେ ବିସର୍ଜନ ପାଇଁ ସ୍ୱତନ୍ତ୍ର ଅସ୍ଥାୟୀ ପୁଷ୍କରିଣୀମାନ ନିର୍ମାଣ କରାଯାଇଛି ।
କଟକରେ ପୂଜା ପାଉଥିବା ୧୭୦ଟି ମେଢ଼ ମଧ୍ୟରୁ ୧୦୦ରୁ ଅଧିକ ମେଢ଼ ଦେବୀଗଡ଼ାଠାରେ ବିସର୍ଜିତ ହେବେ । ତେବେ କଟକରେ ବଙ୍ଗୀୟ
ରୀତିନୀତିରେ ପୂଜା ପାଉଥିବା ମେଢ଼ଗୁଡ଼ିକ ଗତକାଲି ବିଳମ୍ବିତ ରାତ୍ରିରେ ବିସର୍ଜିତ ହୋଇଛନ୍ତି । ସେହିପରି ଭୁବନେଶ୍ୱରର ଭସାଣି ଉତ୍ସବ ନିମନ୍ତେ ତିନୋଟି ଭସାଣି କମିଟି ପାଇଁ ସ୍ୱତନ୍ତ୍ର ରୁଟ୍ ଲେନ୍ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ସମସ୍ୟା ନ ଉପୁଜିବା ପାଇଁ ପୋଲିସ୍ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଏଥିନିମନ୍ତେ ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଭସାଣି ଦାୟିତ୍ୱରେ ତିନିଜଣ ଅତିରିକ୍ତ ଡିସିପି ରହିବେ ବୋଲି ଜଣାପଡ଼ିଛି ।
ଭସାଣି ବେଳେ ଯେପରି ୬୫ଟି ଡେସିବେଲରୁ ଅଧିକ ସ୍ୱରରେ ଡିଜେ ନ ବାଜିବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦଶହରା ଅବସରରେ ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ୫୧ତମ ବିଜୟା ମିଳନ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି କରୁଣାକର ବେହୁରିଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ବିଜୟା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।
ନବରଙ୍ଗପୁର ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ଶେଷ ହୋଇଛି । ଗତକାଲି ବିଜୟା ଦଶମୀରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ନବରଙ୍ଗପୁର ଆର୍ସିଡି ପଡ଼ିଆଠାରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାରଘରଣୀଙ୍କ ଶାରଦୀୟ ଦୁର୍ଗାପୂଜା ସମାରୋହ ଉଦ୍ଯାପିତ ହୋଇଛି । ନବରାତ୍ରି ଉପଲକ୍ଷେ ଦର୍ଶନ ପାଇଁ
ବାହାରିଥିବା ମାଆଙ୍କ ପାଟଖଣ୍ଡା ପୁଣିଥରେ ଗର୍ଭଗୃହରେ ସ୍ଥାପନ କରାଯାଇଛି ।
Comments are closed, but trackbacks and pingbacks are open.