କୋରନା ସତର୍କତା ପାଇଁ ନିହାତି ପଢନ୍ତୁ – ସରକାର ଜାରି କଲେ ଏହି ମାର୍ଗ ଦର୍ଶିକା

0 3,750

ବିଶ୍ୱବ୍ୟାପୀ କାୟା ବିସ୍ତାର କରିଚାଲିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସମସ୍ତ ଦେଶକୁ ପରାମର୍ଶ ଦିଆଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ଅଦ୍ୟାବଧି ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୩ ହଜାର ୩ ଶହରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବାବେଳେ ୯୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

୍‍ସେହିଭଳି କରୋନା ଭୂତାଣୁ ସଂକ୍ରମଣକୁ ମୁକାବିଲା କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଯେଉଁଠି ଲୋକମାନଙ୍କୁ ଏକତ୍ରିତ ହେବାର ଥିବ, ସେଥିପାଇଁ ପୂର୍ବରୁ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ହେବ ଓ ଲୋକମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ସଂକ୍ରାନ୍ତୀୟ ନିୟମାବଳୀ ଜାରି କରିବାକୁ ହେବ । କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ତେବେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ ସତର୍କତାମୂଳକ ପଦକ୍ଷେପସ୍ୱରୂପ ଏକସଙ୍ଗେ ଅଧିକ ଲୋକ ଏକାଠି ନ ହେବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, ପାଗରେ ପରିବର୍ତ୍ତନ କରୋନା ଭୂତାଣୁ ସଂକ୍ରମଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କମ୍‍ ତାପମାତ୍ରାରେ କରୋନା ଭୂତାଣୁ
ସଂକ୍ରମଣ ଅଧିକ ବ୍ୟାପିବା ସଂକ୍ରାନ୍ତ ଗୁଜବକୁ ପ୍ରତ୍ୟାଖ୍ୟାନ କରି ଶ୍ରୀ ଭାର୍ଗବ କହିଛନ୍ତି, ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଠୋସ୍‍ ତଥ୍ୟ ଜଣାପଡ଼ି ନାହିଁ ।

ସେ କହିଛନ୍ତି, ଭୂତାଣୁ ସଂକ୍ରମଣ ବାୟୁ ମାଧ୍ୟମରେ ନୁହେଁ, ବରଂ ମନୁଷ୍ୟ ସହ ସଂସ୍ପର୍ଶରେ ଆସିବା ଯୋଗୁଁ ବ୍ୟାପିଥାଏ । ପାଗରେ ପରିବର୍ତ୍ତନ ଯୋଗୁଁ କାଶ ଓ ଥଣ୍ଡାଠାରୁ ନିଜକୁ ସୁରକ୍ଷିତ ରଖିବାକୁ ସେ ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭୂତାଣୁ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଆଜି ସମସ୍ତ ରାଜ୍ୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ହସ୍ପିଟାଲ୍‍ଗୁଡ଼ିକ ପାଇଁ ଏକ ଜାତୀୟସ୍ତରୀୟ ତାଲିମ୍‍ କର୍ମଶାଳାର ଆୟୋଜନ କରାଯାଇଛି ।
ହସ୍ପିଟାଲ୍‍ଗୁଡ଼ିକରେ ପ୍ରସ୍ତୁତି ସଂକ୍ରାନ୍ତରେ ତାଲିମ୍‍ ଦିଆଯିବା ସହିତ ସଂକ୍ରମଣ ରୋକାଯିବା, ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା, ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ଜୈବ ବର୍ଜ୍ୟ ବସ୍ତୁର ପରିଚାଳନା କରିବା ତଥା ଲୋକମାନଙ୍କ ସଂସ୍ପର୍ଶରେ ଆସିବା ସମୟରେ ସତର୍କତା ଅବଲମ୍ବନ କରିବା ଆଦି ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ହାତକୁ ନେଇଛନ୍ତି । ବିଶେଷକରି ସ୍କୁଲ୍‍ ପିଲାମାନଙ୍କୁ ଏହି
ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଶିକ୍ଷାଅଧିକାରୀମାନଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା, ଗହଳି ସ୍ଥାନରୁ ଦୂରେଇ ରହିବା ଓ କାଶ, ଛିଙ୍କ ଆଦି ସମୟରେ ମୁହଁରେ ରୁମାଲ୍‍ ଦେବା ପାଇଁ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି ।

ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବାପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସେଗୁଡ଼ିକ ହେଲା – ଜନଗହଳି ସ୍ଥାନଠାରୁ ଦୂରେଇ ରୁହନ୍ତୁ । ହାତ ପରିସ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲଭାବରେ
ଧୁଅନ୍ତୁ, କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ୍‍ କିମ୍ବା ଟିସୁ ପେପରଦ୍ୱାରା ଘୋଡ଼ାଇ ରଖନ୍ତୁ । ବ୍ୟବହୃତ ଟିସୁ ପେପରକୁ ଯଥାଶୀଘ୍ର ଢାଙ୍କୁଣି ଥିବା ଡଷ୍ଟବିନ୍‍ରେ ପକାଇ ଦିଅନ୍ତୁ । ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି, ତେବେ ଅନ୍ୟମାନଙ୍କ ସହ ମିଳାମିଶା ନ କରି ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଡାକ୍ତରଖାନାକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ । ଆଖି, ନାକ ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାନ୍ତୁ ନାହିଁ ।

Leave A Reply