ରାଷ୍ଟ୍ରପତିଙ୍କୁ ଭେଟିଲେ କୋରିଆ ସଂସଦୀୟ ପ୍ରତିନିଧିମଣ୍ଡଳ

0 500

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା କୋରିଆ ସାଧାରଣତନ୍ତ୍ରର ଏକ ପ୍ରତିନିଧିମଣ୍ଡଳ ଆଜି (ମାର୍ଚ୍ଚ 08, 2018) ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ କୋରିଆ ଜାତୀୟ ସଂସଦର ବାଚସ୍ପତି ଶ୍ରୀ ଚୁଙ୍ଗ୍‌ ସି’କ୍ୟୁନ୍‌ ।

କୋରିଆର ସଂସଦୀୟ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଲେ ଯେ ଉଭୟ ଭାରତ ଏବଂ ଦକ୍ଷିଣ କୋରିଆ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସୀ ଏବଂ ସେମାନଙ୍କର ଆର୍ଥିକ ଦୃଷ୍ଟିଭଙ୍ଗୀ ମଧ୍ୟ ସମାନ । ପୁଣି ଦୁଇ ଦେଶଙ୍କ ଷ୍ଟ୍ରାଟେଜିକ୍‌ ଆଭିମୁଖ୍ୟ ସମାନ ସ୍ୱାର୍ଥ ଉପରେ ଆାଧାରିତ ।

ରାଷ୍ଟ୍ରପତି କହିଲେ ଯେ ପ୍ରାରମ୍ଭିକ ଅବସ୍ଥାରେ ପ୍ରତିକୂଳ ଆର୍ଥିକ ଏବଂ ରାଜନୈତିକ ପରିସ୍ଥିତି ସତ୍ତ୍ୱେ ଦକ୍ଷିଣ କୋରିଆର ସାଫଲ୍ୟକୁ ଭାରତ ପ୍ରଶଂସା କରେ । କୋରିଆର ଜନସାଧାରଣ ତଥା ନେତୃତ୍ୱଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରଶଂସା କରି ରାଷ୍ଟ୍ରପତି କହିଲେ ଯେ ସେହି ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ କୋରିଆ ଆଜି ଏକ ବିକଶିତ ଅର୍ଥନୀତିରେ ପରିଣତ ହୋଇପାରିଛି ।

ଦକ୍ଷିଣ କୋରିଆର ନିବେଶକମାନେ ଭାରତରେ ପୁଂଜି ନିବେଶ ପାଇଁ ସେମାନଙ୍କର ଲକ୍ଷ୍ୟସ୍ଥଳ ଭାବେ ଚୟନ କରୁଥିବାରୁ ନିଜର ସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି କହିଲେ ଯେ ଏହା ଉଭୟ ରାଷ୍ଟ୍ରପାଇଁ ଶୁଭଙ୍କର । ଭାରତରେ ଗତ ସପ୍ତାହରେ ଅନୁଷ୍ଠିତ ଭାରତ- ଦକ୍ଷିଣ କୋରିଆ ଦ୍ୱିତୀୟ ବ୍ୟବସାୟିକ ସମ୍ମିଳନୀରେ ବିପୁଳ ସଂଖ୍ୟକ କୋରିଆ ନିବେଶକ ଓ ଶିଳ୍ପପତି ଅଂଶଗ୍ରହଣ କରିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସୃଷ୍ଟ ନିବିଡ଼ ଆର୍ଥିକ ସଂପର୍କର ଏହା ନମୁନା । ଭାରତର ଦ୍ରୁତ ଶିଳ୍ପାୟନ କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆ ଏକ ପ୍ରମୁଖ ସହଯୋଗୀ ଭାବେ ସଂଶ୍ଳିଷ୍ଟ ହେବାକୁ ଭାରତ ଆଗ୍ରହୀ ବୋଲି ରାଷ୍ଟ୍ରପତି ସୂଚାଇଥିଲେ । ଭାରତ ସରକାରଙ୍କ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ଯଥା ମେକ୍‌ ଇନ୍‌ ଇଣ୍ଡିଆ, କ୍ଲିନ୍‌ ଇଣ୍ଡିଆ ଏବଂ ଡ଼ିଜିଟାଲ ଇଣ୍ଡିଆ ଭଳି ଯୋଜନାରେ ଦକ୍ଷିଣ କୋରିଆ ଅଂଶଗ୍ରହଣ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଜଣାଇଥିଲେ ।

Leave A Reply