ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ
ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

345

ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ
ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ
ହୋଇଯାଇଛି । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ
କରିବା ପାଇଁ ସେବାୟତଙ୍କ ସହଯୋଗ କାମନା କରାଯାଇଛି । ୧୦ ତାରିଖ
ଦିନ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ମଧ୍ୟାହ୍ନ ୧୨ଟାରୁ ଗୋଟାଏ ମଧ୍ୟରେ
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଣୁ
ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଦୃଷ୍ଟିରୁ ଦର୍ଶନର ଦେଢ଼ଘଣ୍ଟା ପୂର୍ବରୁ
ଅର୍ଥାତ୍‍ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରକୁ ଶୋଧ କରାଯାଇ କେବଳ ପାଳିଆ
ସେବାୟତମାନେ ଶ୍ରୀମନ୍ଦିର ପରିସରରେ ରହିବେ । ଶ୍ରୀମନ୍ଦିର ପରିସରରେ
ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ ।
ଏହି ଅବସରରେ ରାଷ୍ଟ୍ରପତି ସିଂହଦ୍ୱାର ନିକଟରେ ଥିବା ଉକ୍ରଳମଣି
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହି
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‍.ପି. କନୱର
ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟବୃନ୍ଦ, ପାଳିଆ ସେବକ ଓ
ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.